The Ekwesha

କବିଙ୍କ ସଂକ୍ଷିପ୍ତ ଜୀବନୀ

୧୯୧୩ ମସିହା ଜୁନ୍ ମାସ ୫ ତାରିଖରେ ଜଗତ୍‌ସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ଅନ୍ତର୍ଗତ ନରସିଂହପୁର ଗ୍ରାମର ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ବାସୁଦେବ ରଥ । ବାଲ୍ୟାବସ୍ଥାରୁ ମାତୃସ୍ନେହହୀନ ଶୈଶବ ତାଙ୍କ ଉପରେ ପ୍ରଭାବ ପକାଇଥିଲେ ମଧ୍ୟ ଅନାୟାସରେ ନୀଳକଣ୍ଠପରି ସମସ୍ତ ଜଞ୍ଜାଳମୟ ମୁହୂର୍ତକୁ ଆକଣ୍ଠ କରି ଆଗେଇ ଚାଲିଥିଲେ ନିଜର ଲକ୍ଷ୍ୟପଥରେ ।

ପତ୍ନୀ ଠୁକମଣି ଦେବୀଙ୍କ ସହ ବାସୁଦେବ

ଆଦ୍ୟ ଯୌବନର ପଦାର୍ପଣରେ ଠୁକମଣି ଦେବୀଙ୍କ ସହ ଶୁଭ ପରିଣୟ ହୋଇଥିଲା । ଉଚ୍ଚଶିକ୍ଷାରୁ ବଂଚିତ ବାସୁଦେବ ବିବାହ ପରେ ଚଷାପଡ଼ାସ୍ଥିତ ତତ୍‌କାଳୀନ ସଂସ୍କୃତ ଶିକ୍ଷାକେନ୍ଦ୍ରରେ ଅଧ୍ୟୟନ କରିଥିଲେ । କ୍ରମେ ପରିବାରର ଆର୍ଥିକସ୍ଥିତିକୁ ଦୃଷ୍ଟିରେ ରଖି ପରିବାର ପ୍ରତିପୋଷଣ ଉଦ୍ଦେଶ୍ୟରେ ପ୍ରଥମେ କୋଲ୍‌କତାରେ ଚାକିରୀ ଏବଂ ପରେ ନିଜ ଗ୍ରାମରେ କୃଷିକାର୍ଯ୍ୟରେ ମନୋନିବେଶ କରିଥିଲେ ।

ଜୀବନର ଅପରାହ୍‌ଣରେ ପ୍ରାକୃତିକ ପରିବେଶଭରା ଗ୍ରାମୀଣ ଆଶ୍ରମ ସୃଷ୍ଟିକରି ପୁରାଣଶାସ୍ତ୍ର ଅଧ୍ୟୟନ ଓ ସାହିତ୍ୟ ରଚନାରେ ବ୍ୟସ୍ତ ବାସୁଦେବ ନିଜର କୃତୀକୁ ରୂପଦେଇଥିଲେ ଲେଖନୀ (ପେନ୍‌ସିଲ୍‌) ମୁନରୁ ଝରୁଥିବା ଅନେକ ଚଉତିଶା, ଜଣାଣ, ଭଜନ, ଗୀତ ଓ ଉପାଖ୍ୟାନ ମାଧ୍ୟମରେ । ପତ୍ନୀ ବିୟୋଗରେ ମ୍ରିୟମାଣ ବାସୁଦେବଙ୍କର ୧୯୮୫ ମସିହା ସେପ୍ଟେମ୍ବର ୨୯ ତାରିଖରେ (ପତ୍ନୀଙ୍କ ମୃତ୍ୟୁର ମାତ୍ର ପଂଚମ ଦିନ) ନିଜ ବାସଭବନରେ ମହାପ୍ରୟାଣ ଘଟିଥିଲା ।